ନୂଆଦିଲ୍ଲୀ: ଭୀମ୍‌ ସେନା ମୁଖ୍ୟଙ୍କୁ ଧମକପୂର୍ଣ୍ଣ କଲ୍ କରିଥିବା ଅଭିଯୋଗରେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ବିଦେଶରୁ ଭୀମ୍‌ ସେନା ମୁଖ୍ୟ ସତପାଲ ତନଓ୍ବାରଙ୍କୁ ଧମକପୂର୍ଣ୍ଣ କଲ କରିଥିଲା ଅନମୋଲ । ଗୁରୁଗ୍ରାମ ପୋଲିସ ଅନୁସାରେ, ଅନମୋଲ ବିଷ୍ଣୋଇ  କାନାଡା ଏବଂ ଆମେରିକାରୁ ଜିମ୍ବାଓ୍ବେ ଏବଂ କେନିୟାର ଫୋନ୍‌ ନମ୍ବର ସାହାଯ୍ୟରେ ଧମକପୂର୍ଣ୍ଣ କଲ କରୁଛି ।  ଅକ୍ଟୋବର ୩୦ରେ ତନଓ୍ବାରଙ୍କୁ ଏକାଧିକ ଥର ଫୋନ୍‌ କଲ୍‌ କରିଥିଲା ଅନମୋଲ୍‌ ବିଷ୍ଣୋଇ ।

ଭୀମ୍‌ ସେନା ମୁଖ୍ୟଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେବାକୁ ଅନମୋଲ ଧମକ ଦେଇଥିଲା । ଏନେଇ ଅଭିଯୋଗ ପାଇବା ପରେ ଗୁରୁଗ୍ରାମ ପୋଲିସ, ଏସଟିଏଫ ଅନ୍ୟ ଅପରାଧ ନିରୋଧୀ ଶାଖାର କର୍ମୀଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରିଛି । ସେପଟେ ଆମେରିକୀୟ ଅଧିକାରୀଙ୍କ ପାଖରୁ ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ଅନମୋଲର ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚଳାଇଛି । 

୨୫ ବର୍ଷୀୟ ଅନମୋଲ୍‌ ବିଷ୍ଣୋଇ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମଧ୍ୟ ସଂପୃକ୍ତ । ଲରେନ୍ସ ବିଷ୍ଣୋଇ ଇସାରାରେ ତା ଭାଇ ଅନମୋଲ୍‌ ଅନେକ ଅପରାଧିକ ମାମଲାର ନେତୃତ୍ବ ନେଇଛି । ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ସାବରମତୀ ଜେଲ୍‌ରେ ବନ୍ଦୀ ଅଛି । ଗତ ମାସରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ନିଜର ମୋଷ୍ଟ ଓ୍ବାଣ୍ଡେଡ୍‌ ତାଲିକାରେ ଅନମୋଲ ବିଷ୍ଣୋଇର ନାଁ ସାମିଲ କରିଛି । ଏହା ସହ ତା ବିଷୟରେ ସୂଚନା ପାଇଁ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ । ଅନମୋଲ ବିଷ୍ଣୋଇ ଏବେ କାନାଡା ଏବଂ ଆମେରିକାରେ ରହୁଥିବା ବେଳେ ତା ଉପରେ ଭାରତୀୟ ଅଧିକାରୀ ନଜର ରଖିଛନ୍ତି ।